Unknown

 

 

 

 

 

 

 

 

 

 

 

ଛ’ ମାଣ ଆଠଗୁଣ୍ଠ

ବ୍ୟାସକବି ଫକୀରମୋହନ ସେନାପତି

 

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଉପନ୍ୟାସ ‘ଛ’ ମାଣ ଆଠଗୁଣ୍ଠ’ ଓଡ଼ିଆ ସାହିତ୍ୟ ଜଗତରେ ଏକ ଅନନ୍ୟ ସୃଷ୍ଟି । ଏହି ପୁସ୍ତକଟି ଓଡ଼ିଆ ସାହିତ୍ୟର ପ୍ରଥମ ସାର୍ଥକ ବାସ୍ତବଧର୍ମୀ ଉପନ୍ୟାସ । ୧୮୯୭-୯୮ ମସିହା ମଧ୍ୟରେ ରଚିତ ଏବଂ ୧୯୦୨ରେ ପୁସ୍ତକାକାରରେ ପ୍ରକାଶିତ ଏହି ଉପନ୍ୟାସଟି ଆଜି ମଧ୍ୟ ଏହାର ପ୍ରାସଙ୍ଗିକତା ଓ ଚିରାୟତ ଆଧୁନିକତା ବଜାୟ ରଖିଛି ।

 

ପରିଚୟ :

 

ଉପନ୍ୟାସଟି ପାଠକମାନଙ୍କୁ ଏକ ଏଭଳି ଦୁନିଆକୁ ନେଇଯାଏ ଯେଉଁଠି ସାଧାରଣ ଚାଷୀ, ତନ୍ତୀ ଏବଂ ଗ୍ରାମୀଣ ମଣିଷମାନଙ୍କର ସୁଖ-ଦୁଃଖ ଓ ଶୋଷଣର କାହାଣୀ ଅତି ନିଖୁଣ ଭାବେ ବର୍ଣ୍ଣିତ । ଏହି ପୁସ୍ତକଟିର ମୁଖ୍ୟ ବିଷୟବସ୍ତୁ ଜଣେ ଅତିଶୟ ଲୋଭୀ, ଧୂର୍ତ୍ତ ଏବଂ ଶୋଷଣକାରୀ ଜମିଦାର ରାମଚନ୍ଦ୍ର ମଙ୍ଗରାଜଙ୍କର ଭୂ-ସମ୍ପତ୍ତି ଅପହରଣର କ୍ଷୁଧା ଏବଂ ସେହି ଲୋଭର ଶିକାର ହୋଇଥିବା ଦୁଇ ନିରୀହ ତନ୍ତୀ ଦମ୍ପତି ଭଗିଆ ଓ ସାରିଆଙ୍କର କରୁଣ ପରିଣତି ଉପରେ ଆଧାରିତ । ଫକୀରମୋହନଙ୍କ ରଚନାଶୈଳୀ ଏତେ ପ୍ରାଣବନ୍ତ ଯେ, ପାଠକ ନିଜକୁ କାହାଣୀର ଏକ ଅଂଶ ଭାବେ ଅନୁଭବ କରେ ଏବଂ ଘଟଣାବର୍ତ୍ତ ଭିତରକୁ ନିଜେ ପଶିଯାଏ । ଏଥିରେ ଥିବା ପ୍ରତିଟି ଚରିତ୍ର ଆମ ସମାଜର ବିଭିନ୍ନ ଦିଗକୁ ପ୍ରତିନିଧିତ୍ୱ କରନ୍ତି ।

 

ପୃଷ୍ଠଭୂମି :

 

‘ଛ’ ମାଣ ଆଠଗୁଣ୍ଠ’ର ପୃଷ୍ଠଭୂମି ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଓ ରାଜନୈତିକ ସ୍ଥିତିକୁ ଆଧାର କରି ଗଢ଼ିଉଠିଛି । କାହାଣୀଟି ଗୋବିନ୍ଦପୁର ଗ୍ରାମର ପୃଷ୍ଠଭୂମିରେ ଗତିଶୀଳ, ଯେଉଁଠାରେ ଜମିଦାରୀ ପ୍ରଥାର କ୍ରୁରତା ଓ ଶୋଷଣ ଚରମ ସୀମାରେ ପହଞ୍ଚିଛି ।

 

ରାମଚନ୍ଦ୍ର ମଙ୍ଗରାଜ ଜଣେ ମହାଜନ ଓ ଜମିଦାର ଭାବେ ନିଜର ଶକ୍ତି ପ୍ରୟୋଗ କରି ଗରିବ ଚାଷୀମାନଙ୍କର ସର୍ବସ୍ୱ ଲୁଟିନେବାରେ ସିଦ୍ଧହସ୍ତ । ତାଙ୍କର ଏହି ଲୋଭର ଶିକାର ହୁଅନ୍ତି ଭଗିଆ ଓ ସାରିଆ । ସେମାନଙ୍କର ମାତ୍ର ସମ୍ବଳ ଥିଲା ଛ’ ମାଣ ଆଠଗୁଣ୍ଠ ଜମି ଓ ନେତ ଗାଈ । କୂଟବୁଦ୍ଧି ଓ ଧର୍ମର ଦ୍ୱାହି ଦେଇ ସେମାନଙ୍କୁ କିପରି ସର୍ବସ୍ୱାନ୍ତ କରାଯାଇଛି, ତାହା ଉପନ୍ୟାସର ଏକ ପ୍ରମୁଖ ଦିଗ ।

 

ଏହି ଉପନ୍ୟାସରେ ମଧ୍ୟ ବ୍ରିଟିଶ ଅଦାଲତର ବିଚାର ବ୍ୟବସ୍ଥାକୁ ତୀବ୍ର ସମାଲୋଚନା ଓ ଉପହାସ କରାଯାଇଛି । ଅଦାଲତକୁ ସେ ‘ବାରଙ୍ଗନାର ମନ୍ଦିର’ ସହିତ ତୁଳନା କରିଛନ୍ତି, ଯେଉଁଠାରେ କେବଳ ଦୁର୍ବଳ ଦଣ୍ଡିତ ହୁଏ ଏବଂ ଶକ୍ତିଶାଳୀ ଓ ଧୂର୍ତ୍ତ ବ୍ୟକ୍ତି ଆଇନର ଗଳାବାଟ ଦେଇ ଖସିଯାଏ । ଉପନ୍ୟାସରେ ବର୍ଣ୍ଣିତ ‘ଅସୁରଦୀଘି’ କେବଳ ଏକ ଜଳାଶୟ ନୁହେଁ, ବରଂ ଏହା ତତ୍କାଳୀନ କଳୁଷିତ ସାମାଜିକ ଓ ସଂସ୍କୃତିକ ଜୀବନର ଏକ ଜୀବନ୍ତ ପ୍ରତୀକ । ସେହିପରି ରାମଚନ୍ଦ୍ର ମଙ୍ଗରାଜଙ୍କ ନାମଟି ମଧ୍ୟ ବ୍ୟଞ୍ଜନାଢ଼୍ୟ, ଯେଉଁଠି ନାମ ରାମଚନ୍ଦ୍ର ହେଲେ ହେଁ କାମ ରାବଣ ପରି । ଏଥିରେ ଗୋଟିଏ ପଟେ ନୃଶଂସତା ଓ ଅଶୁଭ ଶକ୍ତିର ପ୍ରଭାବ ରହିଥିବା ବେଳେ ଅନ୍ୟପଟେ ପରି ଦୟା ଓ ପବିତ୍ରତାର ମୂର୍ତ୍ତିମତୀଙ୍କର ଦେବୀଙ୍କର ଉପସ୍ଥିତି ରହିଛି । ପାପର ବିଷଜ୍ଜ୍ୱାଳାରୁ କେହି ମୁକ୍ତି ପାଇପାରିବେ ନାହିଁ ଏବଂ ଶେଷରେ ମଣିଷକୁ ତାର ମନୁଷ୍ୟତ୍ୱ ପାଖକୁ ଫେରିବାକୁ ପଡ଼ିବ ବୋଲି ଏହି ଉପନ୍ୟାସରେ ଦର୍ଶାଯାଇଛି ।

 

ପ୍ରମୁଖ ଚରିତ୍ର :

 

ଚରିତ୍ରଗୁଡ଼ିକ ଉପନ୍ୟାସର କଥାବସ୍ତୁକୁ ଗତିଶୀଳ କରାଇବାରେ ସମର୍ଥ ହୋଇଛନ୍ତି ।

 

ରାମଚନ୍ଦ୍ର ମଙ୍ଗରାଜ: ଉପନ୍ୟାସର କେନ୍ଦ୍ରୀୟ ଚରିତ୍ର, ଜଣେ ଅତିଶୟ ଲୋଭୀ, ଧୂର୍ତ୍ତ ଏବଂ ଶୋଷଣକାରୀ ଜମିଦାର । ନିଜର ଭୌତିକ ସୁଖ ପାଇଁ ସେ ଅନ୍ୟର ସର୍ବସ୍ୱ ଲୁଟିନେବାରେ ସିଦ୍ଧହସ୍ତ । ସେ ବାହାରକୁ ନିଜକୁ ଧାର୍ମିକ ଭାବେ ପ୍ରଦର୍ଶନ କରୁଥିଲେ ମଧ୍ୟ ଭିତରେ ଜଣେ କ୍ରୂର ସ୍ୱାର୍ଥପର ବ୍ୟକ୍ତି ଥିଲେ ।

 

ଚମ୍ପା: ଚମ୍ପା ମଙ୍ଗରାଜଙ୍କ ଉଆସର ଏକ ରହସ୍ୟମୟୀ, ଦୁଷ୍ଟ ଏବଂ ଅଶୁଭ ଶକ୍ତିର ପ୍ରତୀକ । ସେ ମଙ୍ଗରାଜଙ୍କ ସମସ୍ତ କୂଟଚକ୍ରାନ୍ତର ମୁଖ୍ୟ ପରିଚାଳିକା ଏବଂ ନୃଶଂସତାର ପ୍ରତିମୂର୍ତ୍ତି । ତାର କୌଣସି ବିବେକଦଂଶନ ବା ଆତ୍ମଗ୍ଳାନି ନାହିଁ । ସେ ଧର୍ମର ଦ୍ୱାହି ଦେଇ ସାରିଆକୁ ପ୍ରତାରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

 

ଭଗିଆ ଓ ସାରିଆ: ଏହି ଦୁଇଜଣ ହେଉଛନ୍ତି ଉପନ୍ୟାସର ସବୁଠାରୁ ନିରୀହ ଏବଂ ସରଳ ତନ୍ତୀ ଦମ୍ପତି । ସେମାନଙ୍କର ଏକମାତ୍ର ସମ୍ପତ୍ତି ଥିଲା ‘ଛ’ ମାଣ ଆଠଗୁଣ୍ଠ’ ଜମି ଏବଂ ‘ନେତ’ ଗାଈ । ସେମାନେ ସନ୍ତାନହୀନ ଥିବାରୁ ସେହି ଦୁର୍ବଳତାର ସୁଯୋଗ ନେଇ ଚମ୍ପା ଓ ମଙ୍ଗରାଜ ସେମାନଙ୍କୁ ସର୍ବସ୍ୱାନ୍ତ କରିଦେଇଛନ୍ତି । ଭଗିଆ ଓ ସାରିଆଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ପବିତ୍ର ଓ ମମତାଭରା ଥିଲା, ଓ ସେମାନଙ୍କୁ ଗ୍ରାମବାସୀ ‘ବଗଲା-ବଗୁଲୀ’ ସହ ତୁଳନା କରୁଥିଲେ ।

 

ସାଆନ୍ତାଣୀ: ମଙ୍ଗରାଜଙ୍କ ପତ୍ନୀ । ସେ ଦୟା, କ୍ଷମା ଓ ପବିତ୍ରତାର ମୂର୍ତ୍ତିମତୀ ଦେବୀ । ଲେଖକ ତାଙ୍କୁ ‘ଫଲ୍‍ଗୁ’ ନଦୀ ସହିତ ତୁଳନା କରିଛନ୍ତି । ସେ ମଙ୍ଗରାଜଙ୍କ ପାପ କାର୍ଯ୍ୟର ବିରୋଧ କରୁଥିଲେ ମଧ୍ୟ ସ୍ୱାମୀଙ୍କ ଦ୍ୱାରା ସବୁବେଳେ ଉପେକ୍ଷିତ ହେଉଥିଲେ । ସେ ସାରିଆ ପ୍ରତି ଅତ୍ୟନ୍ତ ସହାନୁଭୂତିଶୀଳ ଥିଲେ ଏବଂ ତାଙ୍କର ନୈତିକ ବଳ ଶେଷରେ ମଙ୍ଗରାଜଙ୍କ ହୃଦୟରେ ଅନୁତାପ ସୃଷ୍ଟି କରିଛି ।

 

ଗୋବରା ଜେନା: ଗ୍ରାମର ଚୌକିଦାର, ଯିଏ ପୋଲିସ ଓ ଜମିଦାରଙ୍କ ମଧ୍ୟରେ ଏକ ଅପବିତ୍ର ବନ୍ଧନର ସୂତ୍ରଧର । ସେ ଜଣେ ଶଠ ଏବଂ ମିଥ୍ୟା ସାକ୍ଷ୍ୟ ଦେବାରେ ସିଦ୍ଧହସ୍ତ ବ୍ୟକ୍ତି । ମଙ୍ଗରାଜଙ୍କ ପାପ କାର୍ଯ୍ୟରେ ସେ ସବୁବେଳେ ସହାୟତା କରୁଥିଲେ ମଧ୍ୟ ଶେଷରେ ସେ ମଧ୍ୟ ଶାସ୍ତି ଭୋଗିଛନ୍ତି । ଉପନ୍ୟାସରେ ମଙ୍ଗରାଜ ଓ ଚମ୍ପାଙ୍କ ସମ୍ପର୍କ ଲୋଭ ଓ ଷଡ଼ଯନ୍ତ୍ର ଉପରେ ଆଧାରିତ । ଅନ୍ୟପଟେ, ସାଆନ୍ତାଣୀ ଏବଂ ସାରିଆଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ଓ ମାନବିକ ସମ୍ପର୍କ ଦେଖିବାକୁ ମିଳେ ।

 

ବିଷୟବସ୍ତୁ :

 

ରାମଚନ୍ଦ୍ର ମଙ୍ଗରାଜଙ୍କ ଅଭ୍ୟୁଦୟ: କାହାଣୀର ଆରମ୍ଭ ହୁଏ ଗୋବିନ୍ଦପୁର ଗ୍ରାମର ଜମିଦାର ରାମଚନ୍ଦ୍ର ମଙ୍ଗରାଜଙ୍କ ପରିଚୟରୁ । ମଙ୍ଗରାଜେ ଜଣେ ଅତିଶୟ ଲୋଭୀ ଓ ଧୂର୍ତ୍ତ ବ୍ୟକ୍ତି ଥିଲେ, ଯିଏ ବାହାରକୁ ନିଜକୁ ବଡ଼ ଧାର୍ମିକ ଓ ଏକାଦଶୀ ବ୍ରତଧାରୀ ଭାବେ ପ୍ରଦର୍ଶନ କରୁଥିଲେ ମଧ୍ୟ ଭିତରେ ଲୋକଙ୍କ ଜମି ହଡ଼ପ କରିବାରେ ସିଦ୍ଧହସ୍ତ ଥିଲେ । ସେ ଜଣେ ଗରିବ ଛେଉଣ୍ଡ ପୁଅରୁ ନିଜର ଶଠତା ବଳରେ ଜଣେ ପ୍ରତିପତ୍ତିଶାଳୀ ଜମିଦାର ଓ ମହାଜନ ହୋଇପାରିଥିଲେ । ତାଙ୍କର ଏହି କୂଟଚକ୍ରାନ୍ତରେ ମୁଖ୍ୟ ସହଯୋଗିନୀ ଥିଲା ତାଙ୍କ ଉଆସର ଦାସୀ ଚମ୍ପା, ଯିଏ ନୃଶଂସତା ଓ ଶୟତାନୀର ପ୍ରତୀକ ଥିଲା ।

 

ଉପନ୍ୟାସର ସବୁଠାରୁ ଆବେଗପୂର୍ଣ୍ଣ ଅଂଶ ହେଉଛି ସରଳ ନିରୀହ ତନ୍ତୀ ଦମ୍ପତି ଭଗିଆ ଓ ସାରିଆଙ୍କ କାହାଣୀ । ସେମାନେ ଅତି ସରଳ ଓ ନିଷ୍ପାପ ଥିଲେ । ସେମାନଙ୍କର ଏକମାତ୍ର ସମ୍ପତ୍ତି ଥିଲା ଅତି ଉର୍ବର ‘ଛ’ ମାଣ ଆଠଗୁଣ୍ଠ’ ଜମି ଏବଂ ପ୍ରାଣପ୍ରିୟା ଗାଈ ‘ନେତ’ । ସାରିଆ ସନ୍ତାନହୀନ ଥିବାରୁ ତା’ର ମନରେ ସବୁବେଳେ ଏକ ଅଭାବ ବୋଧ ରହୁଥିଲା । ଏହି ଦୁର୍ବଳତାର ସୁଯୋଗ ନେଲା ରହସ୍ୟମୟୀ ଚତୁରୀ ଚମ୍ପା ।

 

ଚମ୍ପା ଧର୍ମର ଦ୍ୱାହି ଦେଇ ସାରିଆକୁ ବୁଝାଇଲା ଯେ ବୁଢ଼ୀ ମଙ୍ଗଳାଙ୍କ ପାଖରେ ମନ୍ଦିର ତୋଳିଲେ ତାକୁ ପୁତ୍ର ପ୍ରାପ୍ତି ହେବ । ସାରିଆକୁ ପ୍ରତାରିତ କରିବା ପାଇଁ ମଙ୍ଗଳାଙ୍କ ପୀଠରେ ଏକ ନାଟକ ରଚନା କରାଗଲା । ଭଣ୍ଡାରୀ ଗୋବିନ୍ଦା ଗାତ ଭିତରେ ଲୁଚି ରହି ଠାକୁରାଣୀଙ୍କ ସ୍ୱରରେ ମନ୍ଦିର ତୋଳିବାକୁ ଆଦେଶ ଦେଲା । ପୁତ୍ର ଲାଳସାରେ ଅନ୍ଧ ହୋଇ ଭଗିଆ ଓ ସାରିଆ ସେମାନଙ୍କର ଜମିକୁ ମଙ୍ଗରାଜଙ୍କ ପାଖରେ ବନ୍ଧକ ରଖି ଟଙ୍କା ଆଣିଲେ । ଶେଷରେ ମଙ୍ଗରାଜ ଚଞ୍ଚକତା କରି ସେମାନଙ୍କ ଘର ଭାଙ୍ଗିଦେଲେ ଏବଂ ସାରିଆର ଦୁଧିଆଳୀ ଗାଈ ନେତକୁ ମଧ୍ୟ ଛଡ଼ାଇ ଆଣିଲେ । ଭଗିଆ ଋଣ ପରିଶୋଧ କରି ନ ପାରିବାରୁ ମଙ୍ଗରାଜ ଜମିର ମାଲିକ ହୋଇଗଲେ ।

 

ସର୍ବସ୍ୱ ହରାଇ ମର୍ମାହତ ଭଗିଆ ପାଗଳ ହୋଇଗଲା ଏବଂ ସାରିଆ ମଙ୍ଗରାଜଙ୍କ ବାଡ଼ି ଦୁଆରେ ଅନାହାରରେ ପଡ଼ି ରହି ଶେଷରେ ପ୍ରାଣତ୍ୟାଗ କଲା । ମଙ୍ଗରାଜଙ୍କ ପତ୍ନୀ, ଯିଏ ‘ସାଆନ୍ତାଣୀ’ ଭାବେ ପରିଚିତ ଓ ଦୟାର ମୂର୍ତ୍ତି ଥିଲେ, ସେ ସାରିଆର ଏହି ଦୁର୍ଦ୍ଦଶା ସହିପାରିଲେ ନାହିଁ । ସ୍ୱାମୀଙ୍କର ଏହି ପାପ କାର୍ଯ୍ୟ ଦେଖି ଅନୁତାପରେ ସେ ମଧ୍ୟ ଅନ୍ନଜଳ ତ୍ୟାଗ କରି ମୃତ୍ୟୁବରଣ କଲେ । ଧର୍ମପ୍ରାଣା ପତ୍ନୀଙ୍କ ମୃତ୍ୟୁ ପରେ ମଙ୍ଗରାଜଙ୍କ ପତନ ଆରମ୍ଭ ହେଲା ।

 

ସାରିଆର ମୃତ୍ୟୁ ପରେ ପୋଲିସ ଦାରୋଗା ଇନାଏତ୍ ହୋସେନ୍ ତଦାରଖ କରିବାକୁ ଆସିଲେ । ମଙ୍ଗରାଜ ଗିରଫ ହେଲେ ଏବଂ ଅଦାଲତରେ ତାଙ୍କର ବିଚାର ଚାଲିଲା । ଓକିଲ ରାମ ରାମ ଲାଲା ମଙ୍ଗରାଜଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କର ସମସ୍ତ ଜମିଦାରୀ ନିଜ ନାମରେ କବଲା ଲେଖାଇ ନେଲେ । ଅଦାଲତରେ ମଙ୍ଗରାଜ ନରହତ୍ୟା ଦୋଷରୁ ମୁକ୍ତି ପାଇଲେ ମଧ୍ୟ ଗାଈ ଚୋରି ଅପରାଧରେ ଜେଲ୍ ଦଣ୍ଡ ପାଇଲେ ।

 

ମଙ୍ଗରାଜ ଜେଲରେ ଥିବା ସମୟରେ ଚମ୍ପା ଓ ଗୋବିନ୍ଦା ତାଙ୍କର ସମସ୍ତ ସୁନା ରୁପା ଲୁଟି ନେଇ ପଳାଇଲେ । ମାତ୍ର ବାଟରେ ଧନ ବଣ୍ଟାକୁ ନେଇ ଗୋବିନ୍ଦା ଚମ୍ପାକୁ ହତ୍ୟା କଲା ଏବଂ ନିଜେ ମଧ୍ୟ ନଦୀରେ କୁମ୍ଭୀର ହାତରେ ପ୍ରାଣ ହରାଇଲା । ମଙ୍ଗରାଜ ଜେଲରୁ ମୁକ୍ତି ପାଇ ଘରକୁ ଫେରିଲେ ସତ, କିନ୍ତୁ ସେତେବେଳକୁ ସେ ସର୍ବସ୍ୱାନ୍ତ ହୋଇସାରିଥିଲେ । ପାଗଳ ଭଗିଆ ଜେଲରେ ତାଙ୍କ ନାକ କାମୁଡ଼ି ଛିଣ୍ଡାଇ ଦେଇଥିଲା । ଶେଷରେ ମଙ୍ଗରାଜ ନିଜ କୃତକର୍ମ ପାଇଁ ଘୋର ଅନୁତାପ କରି ସାଆନ୍ତାଣୀଙ୍କ ଜ୍ୟୋତିର୍ମୟୀ ମୂର୍ତ୍ତିକୁ ଦର୍ଶନ କରି ଓ ଥ...ମା...ଆ...ଗୁ କହି କହି ମୃତ୍ୟୁବରଣ କଲେ ।

 

ଉପସଂହାର

 

‘ଛ’ ମାଣ ଆଠଗୁଣ୍ଠ’ ଓଡ଼ିଆ ସାହିତ୍ୟର ଏକ ଏଭଳି ଦର୍ପଣ, ଯେଉଁଥିରେ ସମାଜର ନଗ୍ନ ବାସ୍ତବତା ଓ କର୍ମଫଳର ଅବଧାରିତ ପରିଣତି ଅତି ସ୍ପଷ୍ଟ ଭାବେ ଦୃଶ୍ୟମାନ । ଲୋଭ ଓ ଶଠତା ଦ୍ୱାରା ଅର୍ଜିତ ସମ୍ପତ୍ତି କେବେ ହେଲେ ସୁଖ ଦିଏ ନାହିଁ, ବରଂ ତାହା ବିନାଶର କାରଣ ହୁଏ । ରାମଚନ୍ଦ୍ର ମଙ୍ଗରାଜଙ୍କ ପରି ଶକ୍ତିଶାଳୀ ଜମିଦାର ଶେଷରେ ନିଜ ନାକ ହରାଇ ଓ ସମ୍ପତ୍ତି ଯେଉଁ ଅତି କରୁଣ ମୃତ୍ୟୁ ଭୋଗିଲେ, ତାହା ପ୍ରତ୍ୟେକ ଅନ୍ୟାୟକାରୀ ପାଇଁ ଏକ ଚେତାବନୀ

 

ଉପନ୍ୟାସଟି ଓଡ଼ିଆ ଗ୍ରାମ୍ୟ ଜୀବନର ଏକ ବାସ୍ତବ ଆଲେଖ୍ୟ । ଧର୍ମ ନାମରେ ନାନା ଅନ୍ଧବିଶ୍ୱାସ, ନୂତନ ଜମିଦାରମାନଙ୍କ ଶୋଷଣ, ପୋଇଲି-ଦାସୀମାନଙ୍କ ସହ ଅବୈଧ ପ୍ରଣୟ, ଓକିଲ-ପୋଲିସ.ଚୌକିଦାରମାନଙ୍କ ଶଠତା, ଗରିବ ଚାଷୀଙ୍କର ଧର୍ମଭୀରୂତା ଓ ଦାରିଦ୍ର୍ୟ, କର୍ମଫଳ ଉପରେ ବିଶ୍ୱାସ ଓ ଅଧର୍ମ ବିତ୍ତର କରୁଣ ପରିଣତି ଇତ୍ୟାଦି ଉପନ୍ୟାସଟିକୁ ପ୍ରାଣବନ୍ତ କରିଛି । ଏଥିରେ ହାସ୍ୟ, ବ୍ୟଙ୍ଗ ଓ କରୁଣ ରସର ତ୍ରିବେଣୀ ସଙ୍ଗମ ଘଟିଛି ।

 

ଏହି ଉପନ୍ୟାସଟି କେବଳ ଶୋଷଣର କାହାଣୀ ନୁହେଁ, ବରଂ ଏଥିରେ ସାଆନ୍ତାଣୀଙ୍କ ପରି ପବିତ୍ର ଓ ମମତାମୟୀ ଚରିତ୍ର ମାଧ୍ୟମରେ ମାନବିକତାର ବିଜୟ ମଧ୍ୟ ଘୋଷଣା କରାଯାଇଛି-। ‘ଛ’ ମାଣ ଆଠଗୁଣ୍ଠ’ ଏକ ମହାକାବ୍ୟିକ କୃତି ଓ ଏହା ପାଠକକୁ ଊନ୍ନବିଂଶ ଶତାବ୍ଦୀର ଓଡ଼ିଶାର ଜୀବନ୍ତ ଅନୁଭୂତି ପ୍ରଦାନ କରେ ।

Image